ମୁମ୍ଵାଇ ୨୨।୦୪; ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଏବଂ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଜୀଶାନ ସିଦ୍ଦିକୀଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଇ-ମେଲ୍ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି। ଅଭିଯୋଗ ପରେ, ବାନ୍ଦ୍ରା ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ଏଫଆଇଆର ମଧ୍ୟ ରୁଜୁ କରିଛି। ଏହି ମାମଲାରେ ଅଧିକ ତଦନ୍ତ କରାଯାଉଛି। ଏହା ବ୍ୟତୀତ ତାଙ୍କ ଘରର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି।
ଧମକ ସମ୍ପର୍କରେ ଜୀଶାନ ସିଦ୍ଦିକି ଦାବି କରିଛନ୍ତି ଯେ ଧମକପୂର୍ଣ୍ଣ ଇମେଲରେ ଲେଖାଯାଇଥିଲା ଯେ ଯଦି ସେ ଡି-କମ୍ପାନୀର ସଦସ୍ୟ ବୋଲି ଦାବି କରୁଥିବା ବ୍ୟକ୍ତିଙ୍କୁ ୧୦ କୋଟି ଟଙ୍କା ନ ଦିଅନ୍ତି, ତେବେ ତାଙ୍କୁ ତାଙ୍କ ବାପା ବାବା ସିଦ୍ଦିକିଙ୍କ ପରି ହତ୍ୟା କରାଯିବ। କିନ୍ତୁ ଏବେ ନୂଆ ଧମକ ପରେ ତାଙ୍କ ସୁରକ୍ଷାକୁ ଆହୁରି ଦୃଢ କରାଯାଇଛି। ବାନ୍ଦ୍ରା ପଶ୍ଚିମରେ ଥିବା ଜୀଶାନଙ୍କ ଘର ବାହାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଧମକର ଅଭିଯୋଗ ପାଇବା ପରେ ପୋଲିସ ହତ୍ୟା ଧମକ ଏବଂ ଦାଦାବଟି ଦାବି ମାମଲାର ତଦନ୍ତ ଆରମ୍ଭ କରିଛି। ଏଥିସହ ଜିଶାନ ସିଦ୍ଦିକିଙ୍କ ବିବୃତ୍ତି ମଧ୍ୟ ରେକର୍ଡ ହେବ। ଜୀଶାନ ସିଦ୍ଦିକି କହିଛନ୍ତି, "ଗତ ୩ ଦିନ ମଧ୍ୟରେ ମୋତେ ଅନେକ ଇମେଲ୍ ପଠାଯାଇଛି। ଯେଉଁଥିରେ ଲେଖାଯାଇଛି ଯେ ଯଦି ତୁମେ ୧୦ କୋଟି ଟଙ୍କା ନ ଦିଅ, ତେବେ ତୁମକୁ ମଧ୍ୟ ବାବା ସିଦ୍ଦିକିଙ୍କ ପରି ହତ୍ୟା କରାଯିବ। ଇମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ଡି-କମ୍ପାନୀର ସଦସ୍ୟ ବୋଲି ଦାବି କରିଥିଲେ । ପୋଲିସ ସହିତ ଯୋଗାଯୋଗ ନ କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ।
ଏନେଇ (ଏନସିପି) ନେତା ଜୀଶାନ କହିଛନ୍ତି, "ତାଙ୍କ ବ୍ୟକ୍ତିଗତ ଇମେଲ୍ ଆକାଉଣ୍ଟରେ ତାଙ୍କୁ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଥିଲା। ସେ କହିଛନ୍ତି ଯେ ଇମେଲ୍ ପଠାଇଥିବା ବ୍ୟକ୍ତି ଦାବି କରିଛନ୍ତି ଯେ ବାବା ସିଦ୍ଦିକୀଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ହାତ ନାହିଁ, ବରଂ 'ଡି-କମ୍ପାନୀ'ର ହାତ ଅଛି।" 'ଡି-କମ୍ପାନୀ' ହେଉଛି ଦାଉଦ ଇବ୍ରାହିମର ମୁମ୍ବାଇରେ ସଂଗଠିତ ଅପରାଧ ସିଣ୍ଡିକେଟ୍କୁ ଦିଆଯାଇଥିବା ନାମ। ଦାଉଦ ବର୍ତ୍ତମାନ ପାକିସ୍ତାନରେ ରହୁଛି। ଏ ସମ୍ପର୍କରେ ପୋଲିସ ଅଧିକାରୀ କହିଛନ୍ତି ଯେ ଏକ ପୋଲିସ ଦଳ ଜିଶାନଙ୍କ ବୟାନ ରେକର୍ଡ କରିବା ପାଇଁ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନକୁ ଯାଇଛି।